ଆମ ଚାରିପାଖରେ ଥିବା ପଦାର୍ଥ ବିଶୁଦ୍ଧ କି ?


 1. ସସପେନ୍ସନ୍ କ’ଣ ? ଉଦାହରଣ ସହ ଏହାର ଧର୍ମଗୁଡ଼ିକ ଲେଖ ।

ଉ:-ଯେଉଁ ମିଶ୍ରଣରେ ଦ୍ରବର କଣିକାଗୁଡ଼ିକ ଦ୍ରବୀଭୂତ ନହୋଇ ଦ୍ରବଣ ମାଧ୍ୟମରେ ସବୁଆଡ଼େ ଭାସମାନ ଅବସ୍ଥାରେ ଥାଏ, ତାହାକୁ ସସପେନସନ କୁହାଯାଏ । 

ଉଦାହରଣ : ବନ୍ୟାଜଳ, ଚକଗୁଣ୍ଡପାଣି, କାଦୁଅପାଣି ଇତ୍ୟାଦି। 

ଧର୍ମ :

(i) ଏହା ଏକ ଅସମ ଜାତୀୟ ମିଶ୍ରଣ ଅଟେ ।

(ii) ଏହାର କଣିକା ଗୁଡ଼ିକ ଖାଲିଆଖିକୁ ଦେଖାଯାଏ ନାହିଁ । 

(iii) ଏହା ମଧ୍ୟରେ ଆଲୋକର ଗତିପଥ ଦୃଶ୍ୟମାନ ହୁଏ ।

 (iv) ଏହି ମିଶ୍ରଣ ପାତ୍ରଟିକୁ ସ୍ଥିର ରଖିଲେ କଣିକାଗୁଡ଼ିକ ପାତ୍ରର ନିମ୍ନ ଭାଗରେ ବସିଯାଏ । 

 (v) ପରିସ୍ରବଣ ପଦ୍ଧତି ଦ୍ବାରା ଦ୍ରବକୁ ଅଲଗା କରାଯାଇପାରିବ। 

(vi) ଯେତେ ବେଳେ କଣି କାଗୁଡ଼ିକ ବସିଯାଏ ସେତେବେଳେ ସସପେନସନ ଭାଙ୍ଗିଯାଏ ଏବଂ ଏହା ଆଉ ଆଲୋକ ରଶ୍ମିକୁ ବିଛୁରିତ କରିପାରେ ନାହିଁ ।

2. ଧାତୁ ଓ ଅଧାତୁ କ’ଣ ? ପ୍ରତ୍ୟେକର ବୈଶିଷ୍ଟ୍ୟ ଉଲ୍ଲେଖ କର। 

ଉ:-ଧାତୁ : ଯେଉଁ ମୌଳିକ (ଉଦ୍ଜାନ ବ୍ୟତୀତ) ଗୁଡ଼ିକ ଇଲେକ୍‌ଟ୍ରନ୍ ତ୍ୟାଗ କରି ଯୁକ୍ତ ଆୟନରେ ପରିଣତ ହୁଅନ୍ତି, ସେଗୁଡ଼ିକୁ ଧାତୁ କୁହାଯାଏ । 

ବୈଶିଷ୍ଟ୍ୟ : 

(i) ଧାତୁର ଔଜ୍ୱଲ୍ୟ ଥାଏ । 

(ii) ଏମାନଙ୍କର ରଙ୍ଗ ରୌପ୍ୟା-ଧୂସର କିମ୍ବା ସୁନେଲି - ହଳଦିଆ | 

(ii) ଏହା ତାପ ଓ ବିଦ୍ୟୁତର ସୁପରିବାହୀ ।

 (iv) ଏଗୁଡ଼ିକ ତନ୍ୟ, ନମନୀୟ ଏବଂ ଉଚ୍ଚ ଗମ୍ଭୀର ନାଦଯୁକ୍ତ ଅଟନ୍ତି । 

 ଅଧାତୁ : ଯେଉଁ ମୌଳିକ ଗୁଡ଼ିକ ବିଯୁକ୍ତ ଆୟନରେ ପରିଣତ ହେବାପାଇଁ ଇଲେକ୍‌ଟ୍ରନ ଲାଭ କରିବାର ପ୍ରବୃତ୍ତି ରଖନ୍ତି, ସେଗୁଡ଼ିକୁ ଅଧାତୁ କୁହାଯାଏ ।

ବୈଶିଷ୍ଟ୍ୟ :

 (i) ଅଧାତୁର ଔଜ୍ୱଲ୍ୟ ନଥାଏ ।

 (ii) ଏଗୁଡ଼ିକ ବିଭିନ୍ନ ବର୍ଣ୍ଣ ପ୍ରଦର୍ଶନ କରନ୍ତି । 

(iii) ସେଗୁଡ଼ିକ (ଗ୍ରାଫାଇଟ୍ ବ୍ୟତୀତ) ତାପ ଓ ବିଦ୍ୟୁତର କୁପରିବାହୀ ।

 (iv) ସେଗୁଡ଼ିକ ନମନୀୟ, ତନ୍ୟ କିମ୍ବା ଉଚ୍ଚନାଦ ଯୁକ୍ତ ନୁହଁନ୍ତି। 

2. ଦ୍ରବଣ କ’ଣ ? ଏହାର ଧର୍ମ ଗୁଡ଼ିକ ଲେଖ ?

ଉ:- ଦୁଇ ଓ ତତୋଧିକ ବସ୍ତୁର ସମଜାତୀୟ ମିଶ୍ରଣକୁ ଦ୍ରବଣ କୁହାଯାଏ । ଏହି ଦ୍ରବଣରେ ଦ୍ରବ ଓ ଦ୍ରାବକ ତାହାର ଉପାଦାନ ଭାବେ ରହିଥାଏ ।
ଦ୍ରବ + ଦ୍ରାବକ = ଦ୍ରବଣ

ଉଦାହରଣ : ଚିନିପାଣି, ଲୁଣପାଣି, ସୋଡ଼ାପାଣି ଇତ୍ୟାଦି ।

 ଦ୍ରବଣର ଧର୍ମ :

(i) ଏହା ଏକ ସମଜାତୀୟ ମିଶ୍ରଣ । 

(ii) ଏହାର କଣିକାଗୁଡ଼ିକର ବ୍ୟାସ ଏକ ନାନୋମିଟର ଠାରୁ ଛୋଟ । ଏଣୁ ଏ ଗୁଡ଼ିକ ଖାଲି ଆଖିକୁ ଦିଶେ ନାହିଁ । 

(iii) ଅତି କ୍ଷୁଦ୍ର ଆକାର ଯୋଗୁଁ ଦ୍ରବଣର କଣିକାମାନେ ଦ୍ରବଣ ମଧ୍ୟରେ ଗତି କରୁଥିବା ଆଲୋକରଶ୍ମିକୁ ବିଛୁରିତ କରିପାରେ ନାହିଁ । ଏଣୁ ଏହାର ଗତିପଥ ଦୃଶ୍ୟମାନ ହୁଏ ନାହିଁ । 

(iv) ପରିସ୍ରବଣ ପଦ୍ଧତି ଦ୍ଵାରା ଦ୍ରବଣରୁ ପ୍ରଦତ୍ତ କଣିକାମାନଙ୍କୁ ଅଲଗା କରାଯାଇପାରେ ନାହିଁ ।

3. ଦ୍ରବଣର ଗାଢ଼ତା କ’ଣ ? 20 ଗ୍ରାମ ଜଳରେ 5 ଗ୍ରାମ୍ ଚିନି ଦ୍ରବୀଭୂତ ହେଲେ ଦ୍ରବଣର ଗାଢ଼ତା ନିର୍ଣ୍ଣୟ କର ।

ଉ:-ଏକ ନିର୍ଦ୍ଦିଷ୍ଟ ପରିମାଣର ଦ୍ରବଣ ବା ଦ୍ରାବକରେ ଦ୍ରବୀଭୂତ ହୋଇଥିବା ଦ୍ରବର ପରିମାଣ ଦ୍ବାରା ଦ୍ରବଣର ଗାଢ଼ତା ପ୍ରକାଶ କରାଯାଏ ।

ଦ୍ରବଣର ଗାଢ଼ତା = ଦ୍ରବର ପରିମାଣ / ଦ୍ରବଣର ପରିମାଣ
 ବା, ଦ୍ରବର ପରିମାଣ / ଦ୍ରାବକର ପରିମାଣ 

ଅନ୍ୟ ଅର୍ଥରେ ଦ୍ରବଣର ଗାଢ଼ତା ଭିନ୍ନ ଭିନ୍ନ ଭାବରେ ପ୍ରକାଶ କରାଯାଏ । ସେଥିରୁ ଦୁଇଟି ପଦ୍ଧତି ହେଲା ଏକ ଦ୍ରବଣର ବସ୍ତୁତ୍ଵ ବିଭକ୍ତ  ବସ୍ତୁତ୍ଵ ଶତକଡ଼ା ଅନୁପାତ ପଦ୍ଧତି ଓ ବସ୍ତୁତ୍ଵ ବିଭକ୍ତ ଆୟତନ ଶତକଡ଼ା ଅନୁପାତ ପଦ୍ଧତି । 

 (i) ଏକ ଦ୍ରବଣର ବସ୍ତୁତ୍ୱ ବିଭକ୍ତ ବସ୍ତୁତ୍ଵ ଶତକଡ଼ା ଅନୁପାତ ପଦ୍ଧତି = (ଦ୍ରବର ବସ୍ତୁତ୍ଵ / ଦ୍ରବଣର ବସ୍ତୁତ୍ଵ) x 100

 କିମ୍ବା 
(ii) ବସ୍ତୁତ୍ଵ ବିଭକ୍ତ ଆୟତନ ଶତକଡ଼ା ଅନୁପାତ = (ଦ୍ରବଣ ବସ୍ତୁତ୍ଵ / ଦ୍ରବଣର ଆୟତନ) x 100
 ସମାଧାନ : ଦ୍ରବଣ = ଦ୍ରାବକ + ଦ୍ରବ 

ଏଠାରେ ଦ୍ରବଣର ବସ୍ତୁତ୍ = 20 ଗ୍ରାମ +5 ଗ୍ରାମ୍ =25 ଗ୍ରାମ୍ ଦ୍ରବଣର ଗାଢତା=(ଦ୍ରବର ବସ୍ତୁତ୍ଵ / ଦ୍ରବଣର ବସ୍ତୁତ୍ଵ) x 100
=5/25 x 100 = 20%

4. କଲଏଡ୍ କ’ଣ ? ଉଦାହରଣ ସହ ଏହାର ଧର୍ମଗୁଡ଼ିକୁ ଲେଖ। 

 ଉ:-(i)କଲଏଡ଼ ଏକ ମିଶ୍ରଣ ଯାହାର କଣିକା ଗୁଡ଼ିକ ଖାଲି ଆଖିରେ ଦେଖିବା ପାଇଁ ଖୁବ୍ ଛୋଟ, ମାତ୍ର ଆଲୋକ ରଶ୍ମିକୁ ବିଚ୍ଛୁରିତ କରିବା ପାଇଁ ଆବଶ୍ୟକୀୟ ଆକାରଠାରୁ ବଡ଼ । 

(ii) କ୍ଷୀର, ରକ୍ତ ଇତ୍ୟାଦି କଲଏଡ଼ର ଉଦାହରଣ ।

କଲଏଜ୍‌ର ଧର୍ମ : 

 (i) କଲଏଡର କଣିକାର ଆକାର ବହୁତ ଛୋଟ । 

(ii) ଏହା ଏକ ଅସମଜାତୀୟ ମିଶ୍ରଣ ଅଟେ । 

(iii) ଆଲୋକ ରଶ୍ମି କଲଏଡ଼ ମଧ୍ୟଦେଇ ଗତି କଲାବେଳେ ବିଛୁରିତ ହୁଏ ଓ କଲଏଡ୍ ମଧ୍ୟରେ ଆଲୋକ ରଶ୍ମିର ଗତିପଥ ଦେଖାଯାଏ । 

(iv) ପରିସ୍ରବଣ ପଦ୍ଧତିରେ କଲଏଡ଼ କଣିକାଗୁଡ଼ିକୁ ମିଶ୍ରଣରୁ ପୃଥକ୍ କରାଯାଇ ପାରିବ ନାହିଁ । ମାତ୍ର ଏକ ସ୍ଵତନ୍ତ୍ର କେନ୍ଦ୍ରାପସାରଣ ପଦ୍ଧତି ଦ୍ଵାରା କଣିକାଗୁଡ଼ିକୁ ଦ୍ରବଣରୁ ଅଲଗା କରାଯାଇ ପାରିବ ।

 (v) ଏହା ସ୍ଥାୟୀ ମିଶ୍ରଣ ଅଟେ I

5. ଦୁଇଟି ମିଶୁ ନଥିବା ତରଳ ପଦାର୍ଥର ମିଶ୍ରଣକୁ କିପରି ଅଲଗା କରାଯାଇ ପାରିବ ଚିତ୍ର ସହ ବର୍ଣ୍ଣନା କର ।ଏହି ପଦ୍ଧତିର ଦୁଇଟି ବ୍ୟବହାର ଲେଖ ।

ଉ:- ଦୁଇଟି ମିଶୁନଥିବା ତରଳ ପଦାର୍ଥ କିରୋସିନି ତେଲ ଓ ଜଳ ନିଆଯାଉ । ଏମାନଙ୍କର ମିଶ୍ରଣକୁ ପୃଥକ କରିବା ପାଇଁ ନିମ୍ନ ପରୀକ୍ଷାଟି କରାଯାଉ ।

 ପରୀକ୍ଷା : 

(i) କିରୋସିନିତେଲ ଓ ଜଳର ମିଶ୍ରଣକୁ ଏକ ପୃଥକକାରୀ ଫନେଲରେ ଢ଼ଳାଯାଉ ।

 (ii) ହଲଚଲ୍ ନକରି କିଛି ସମୟ ଏହାକୁ ରଖାଯାଉ। ଫଳରେ କିରୋସିନି ତେଲ ଓ ଜଳର ପୃଥକ ସ୍ତର ସୃଷ୍ଟି ହେବ । 

(iii) ପୃଥକକାରୀ ଫନେଲର ଷ୍ଟପକର୍କକୁ ଖୋଲାଯାଉ ଓ ତଳସ୍ତରରେ ଥିବା ଜଳକୁ ଧୀରେ ଧୀରେ ତଳମୁହଁ ବାଟେ କାଢ଼ି ନିଆଯାଉ । 

(iv) ପୃଥକ କାରୀ ଫନେଲ୍ର ଉପର ସ୍ତରରେ ଥିବା ତେଲ ଯେତେବେଳେ ଷ୍ଟପକର୍କ ନିକଟକୁ ଖସି ଆସିବ ସେତେବେଳେ ପୁନଶ୍ଚ ଷ୍ଟପକର୍କକୁ ବନ୍ଦ କରିଦିଆଯାଉ। ଏବେ ଏଥିରେ ଥିବା ତେଲକୁ ସଂଗ୍ରହ କରାଯାଉ । ଏହି ପଦ୍ଧତିରେ ଦୁଇଟି ମିଶିପାରୁ ନଥିବା ତରଳକୁ ସେମାନଙ୍କ ସାନ୍ଦ୍ରତାର ପାର୍ଥକ୍ୟ ଯୋଗୁଁ ସହଜରେ ପୃଥକ କରିହୁଏ ।

ବ୍ୟବହାର : -

 (i) ଏହି ପଦ୍ଧତିରେ ଜଳ ଓ ତେଲର ମିଶ୍ରଣ ଅଲଗା କରାଯାଏ।

 (ii) ଲୁହାକୁ ତା’ର ଧାତୁପିଣ୍ଡରୁ ଅଲଗା କଲାବେଳେ ଏହି ପଦ୍ଧତିରେ  ହାଲୁକା ଧାତୁମଳକୁ ଉପର ସ୍ତରରୁ ଅଲଗା କରିଦିଆଯାଏ ।

6. ମିଶ୍ରଣ ଓ ଯୌଗିକ ମଧ୍ୟରେ ପାର୍ଥକ୍ୟ ଦର୍ଶାଅ ।

ଉ:-ମିଶ୍ରଣ 

 (i) ମୌଳିକ ବା ଯୌଗିକ ଏକାଠି ମିଶି ଏକ ମିଶ୍ରଣ ସୃଷ୍ଟି କରନ୍ତି ମାତ୍ର  ଏହାଦ୍ୱାରା କୌଣସି ନୂତନ ଯୌଗିକ ଗଠିତ ହୁଏ ନାହିଁ । 

(ii) ଏକ ମିଶ୍ରଣର ସଂଯୁକ୍ତି ପରିବର୍ତ୍ତନଶୀଳ ।

 (iii) ମିଶ୍ରଣରେ ଥିବା ଉପାଦାନମାନେ ନିଜ ନିଜର ଧର୍ମ ପ୍ରଦର୍ଶନ କରିଥାନ୍ତି ।

 (iv) ମିଶ୍ରଣର ଉପାଦାନଗୁଡ଼ିକୁ ଅତି ସହଜରେ ଓ ସରଳ ଭାବରେ ଭୌତିକ ପଦ୍ଧତିଦ୍ବାରା ପୃଥକ୍ କରାଯାଇପାରିବ ।

ଯୌଗିକ 

 (i) ମୌଳିକମାନେ ଏକ ନିର୍ଦ୍ଦିଷ୍ଟ ଅନୁପାତରେ ପରସ୍ପର ସହ ପ୍ରତିକ୍ରିୟା କରି ନୂତନ ଯୌଗିକ ସୃଷ୍ଟି କରିଥାଆନ୍ତି । 

 (ii) ସୃଷ୍ଟି ହୋଇଥିବା ପ୍ରତ୍ୟେକ ନୂତନ ପଦାର୍ଥର ସଂଯୁକ୍ତି ସର୍ବଦା ନିର୍ଦ୍ଦିଷ୍ଟ ଅଟେ ।

 (iii) ସୃଷ୍ଟି ହୋଇଥିବା ନୂତନ ପଦାର୍ଥଟି ସଂମ୍ପୂର୍ଣ୍ଣ ଭିନ୍ନ ଧର୍ମ ପ୍ରଦର୍ଶନ କରିଥାଏ ।

(iv) କେବଳ ରାସାୟନିକ ବା ବିଦ୍ୟୁତ୍ ରାସାୟନିକ ପ୍ରତିକ୍ରିୟା ମାଧ୍ୟମରେ ମୌଳିକ ଉପାଦାନ ଗୁଡ଼ିକୁ ଏଥିରୁ ପୃଥକ୍ କରାଯାଇପାରିବ।

Comments

Popular posts from this blog

ଅଣୁ ଓ ପରମାଣୁ

ଆମ ଚତୁଃପାର୍ଶ୍ୱରେ ଥିବା ପଦାର୍ଥ

ପୋଷଣ